72ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଲାଲକିଲ୍ଲା ଉପରୁ ସମ୍ବୋଧନ କରିଛନ୍ତି । ଭାରତ ସମ୍ପ୍ରତି ଆତ୍ମବିଶ୍ୱାସରେ ଭରି ରହିଥିବା ନେଇ ଦୃଢ଼ୋକ୍ତି ପ୍ରକାଶ କରି ପ୍ରଧାନମନ୍ତ୍ରୀ 6 ଜଣ ଯୁବ ମହିଳା ନୌସେନା ଅଧିକାରୀଙ୍କ ସଫଳତା ଏବଂ ଗରିବ ପରିବାରରୁ ଆସିଥିବା ଭାରତୀୟ କ୍ରୀଡାବିତମାନଙ୍କ ସଫଳତା ସମ୍ବନ୍ଧରେ ପ୍ରକାଶ କରିଥିଲେ । ସେ ନୀଳଗିରି ପର୍ବତରେ ଫୁଟୁଥିବା ନୀଳକୁରୁଞ୍ଜୀ ଫୁଲ ସମ୍ବନ୍ଧରେ ପ୍ରକାଶ କରିଥିଲେ ଯାହାକି ଏପରି ଏକ ପ୍ରକ୍ରିୟା ଯାହା ପ୍ରତି 12 ବର୍ଷରେ ଥରେ ଘଟିଥାଏ । ସେ କହିଲେ ଯେ ସଂସଦର ସଦ୍ୟ ସମାପ୍ତ ଅଧିବେଶନ ସାମାଜିକ ନ୍ୟାୟ ପ୍ରତି ସମର୍ପିତ । ସେ କହିଲେ ଯେ ଭାରତ ହେଉଛି ସମ୍ପ୍ରତି ବିଶ୍ୱର ଷଷ୍ଠ ସର୍ବବୃହତ ଗଣତନ୍ତ୍ର ।
ପ୍ରଧାନମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀ ଏବଂ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ ସୁରକ୍ଷା ବାହିନୀ ଏବଂ ପୋଲିସ ବାହିନୀର ଶହୀଦ ଯବାନମାନଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ । ସେ ବିଶେଷ କରି ଜାଲିୱାନାୱାଲାବାଗ ହତ୍ୟାକାଣ୍ଡର ଶହୀଦମାନଙ୍କୁ ସ୍ମରଣ କରିଥିଲେ, ଯାହାକି 1919 ବୈଶାଖି ଦିବସରେ ସଂଘଟିତ ହୋଇଥିଲା । ଦେଶର କେତେକ ଅଂଶରେ ବନ୍ୟାରେ ପ୍ରଭାବିତ ଓ ମୃତାହତଙ୍କ ପାଇଁ ସେ ଶୋକପ୍ରକାଶ କରିଥିଲେ ।
ସେ କବି ସୁବ୍ରମଣ୍ୟମ ଭାରତୀଙ୍କ ଉକ୍ତି ଉଦ୍ଧୃତ କରି କହିଲେ ଯେ ସମସ୍ତ ପ୍ରକାରର ଶୃଙ୍ଖଳ ବିରୋଧରେ ଭାରତ ସମଗ୍ର ବିଶ୍ୱକୁ ମାର୍ଗ ପ୍ରଦର୍ଶିତ କରିବ । ସେ କହିଲେ ଯେ ଏହି ସ୍ୱପ୍ନ ହେଉଛି ଅଗଣିତ ସ୍ୱାଧୀନତା ସଂଗ୍ରାମୀଙ୍କର । ଆଉ ଏପରି ଏକ ସ୍ୱପ୍ନର ଦେଶ ନିର୍ମାଣ ପାଇଁ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ଏକ ସମନ୍ୱିତ ସମ୍ବିଧାନ ପ୍ରଣୟନ କରାଯାଇଛି, ଯେଉଁଥିରେ କି ଗରିବଙ୍କ ପାଇଁ ନ୍ୟାୟ ଥିବ ଏବଂ ଆଗକୁ ବଢ଼ିବା ପାଇଁ ସମସ୍ତଙ୍କ ପାଖରେ ସମାନ ସୁଯୋଗ ଥିବ । ସେ କହିଲେ ଯେ ଦେଶ ଗଠନ କରିବା ପାଇଁ ସମ୍ପ୍ରତି ଭାରତୀୟମାନେ ଏକତ୍ର ହେଉଛନ୍ତି । ସେ ପାଇଖାନା ନିର୍ମାଣ, ଗ୍ରାମ୍ୟ ବିଦ୍ୟୁତକରଣ, ଏଲପିଜି ଗ୍ୟାସ ସଂଯୋଗ, ଗୃହ ନିର୍ମାଣ ଆଦି ବିଭିନ୍ନ କ୍ଷେତ୍ରରେ ବିକାଶର ଗତି ସମ୍ବନ୍ଧରେ ଉଦାହରଣ ପ୍ରଦାନ କରିଥିଲେ ।
ସେ କହିଲେ ଯେ କେନ୍ଦ୍ର ସରକାର ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରିଥିଲେ ଯେଉଁଗୁଡିକ କି ଦୀର୍ଘଦିନ ଧରି ଝୁଲି ରହିଥିଲା ଏବଂ ଏଗୁଡ଼ିକ ମଧ୍ୟରେ ସାମିଲ ଥିଲା କୃଷକମାନଙ୍କ ପାଇଁ ଉଚ୍ଚତର ସର୍ବନିମ୍ନ ସହାୟକ ମୂଲ୍ୟ, ଜିଏସଟି ଏବଂ ଏକ ପାହ୍ୟା-ଏକ ପେନସନ । ସେ କହିଲେ ଯେ କେନ୍ଦ୍ର ସରକାର ଜାତୀୟ ସ୍ୱାର୍ଥକୁ ଅଗ୍ରାଧୀକାର ପ୍ରଦାନ କରୁଥିବାରୁ ଏହା ସମ୍ଭବ ହୋଇପାରିଛି । ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଯେ 2013 ତୁଳନାରେ ଆନ୍ତର୍ଜାତିକ ସଂଗଠନ ଓ ଏଜେନ୍ସି ଗୁଡ଼ିକ ସମ୍ପ୍ରତି ଭାରତକୁ କିପରି ଭିନ୍ନ ଓ ସକାରାତ୍ମକ ଦୃଷ୍ଟିରେ ଦେଖୁଛନ୍ତି । ସେ କହିଲେ ଯେ ଏକଦା ଭାରତ ନୀତିଗତ ପକ୍ଷାଘାତରେ ପୀଡିତ ଥିଲାବେଳେ, ସମ୍ପ୍ରତି ଏଥିରେ ସୁଧାର ଆସି ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣରେ ପରିବର୍ତ୍ତିତ ହୋଇଛି । ସେ କହିଲେ ଯେ ଭାରତ ସମ୍ପ୍ରତି ଅନେକ ବହୁମୁଖୀ ସଂଗଠନର ସଦସ୍ୟ ଏବଂ ଆନ୍ତର୍ଜାତିକ ସୌର ସଂଗଠନର ନେତୃତ୍ୱ ନେଉଛି । ପ୍ରଧାନମନ୍ତ୍ରୀ କହିଲେ ଯେ ସମ୍ପ୍ରତି ଉତ୍ତର-ପୂର୍ବ ରାଜ୍ୟମାନେ କ୍ରୀଡ଼ା ସଫଳତା, ବିଦ୍ୟୁତ ସଂଯୋଗ ହୋଇନଥିବା ଗ୍ରାମଗୁଡ଼ିକୁ ବିଦ୍ୟୁତ ସଂଯୋଗୀକରଣ ଏବଂ ଜୈବ କୃଷିର ପ୍ରମୁଖ ସ୍ଥାନ ଭାବେ ଖବରକାଗଜର ଶିରୋନାମା ମଣ୍ଡନ କରୁଛନ୍ତି ।
ପ୍ରଧାନମନ୍ତ୍ରୀ କହିଲେ ଯେ ମୁଦ୍ରା ଯୋଜନାରେ 13 କୋଟି ଋଣ ପ୍ରଦାନ କରାଯାଇଛି ଏବଂ ଏହି ସଂଖ୍ୟାରୁ 4 କୋଟି ଏହିପରି ଋଣ ଯାହାକି ପ୍ରଥମ କରି ହିତାଧିକାରୀମାନେ ନେଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ଏହାର ବୈଜ୍ଞାନିକମାନଙ୍କୁ ନେଇ ଗର୍ବିତ । ସେ ଘୋଷଣା କରିଥିଲେ ଯେ ଭାରତ ଏହାର ସାମର୍ଥ୍ୟ ବ୍ୟବହାର କରି 2022 ସୁଦ୍ଧା “ଗଗନ-ଯାନ” ନାମକ ଏକ ମାନବବାହୀ ମହାକାଶ ମିଶନ ଆରମ୍ଭ କରିବ । ଏପରି କରିବାରେ ଭାରତ ହେବ ବିଶ୍ୱର ଚତୁର୍ଥ ରାଷ୍ଟ୍ର ।
2022 ସୁଦ୍ଧା କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଅନ୍ତର୍ଦୃଷ୍ଟି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଦୃଢ଼ ଭାବେ ପ୍ରକାଶ କରିଥିଲେ ଯେ ବହୁ କଠିନ ମନେ ହେଉଥିବା ଲକ୍ଷ୍ୟ ହାସଲ କରିବା ହେଉଛି ପ୍ରକୃତ କାର୍ଯ୍ୟ । ସେ କହିଲେ ଯେ ଉଜ୍ଜ୍ୱଳା ଯୋଜନା ଏବଂ ସୌଭାଗ୍ୟ ଯୋଜନା ଜନସାଧାରଣଙ୍କୁ ମର୍ଯ୍ୟଦା ପ୍ରଦାନ କରୁଛି । ସେ କହିଲେ ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭଳି ସଂସ୍ଥା ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ପ୍ରଗତିକୁ ପ୍ରଶଂସା କରିଛନ୍ତି । ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ସେପ୍ଟେମ୍ବର 25 ତାରିଖରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଅଭିଯାନର ଶୁଭାରମ୍ଭ କରାଯିବା ନେଇ ସୂଚନା ଦେଇଥିଲେ । ସେ ଦୃଢ଼ତା ପ୍ରକାଶ କରି କହିଥିଲେ ଯେ ଭାରତର ଗରିବମାନଙ୍କୁ ଭଲ ଖାଦ୍ୟ ପ୍ରଦାନ ଏବଂ ଉଚ୍ଚ ଗୁଣମାନ ତଥା ସୁଲଭ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ନେଇ ଆମେ ସୁନିଶ୍ଚିତ କରିବାକୁ ପଡିବ ।
ପ୍ରଧାନମନ୍ତ୍ରୀ କହିଲେ ଯେ କିପରି ଭାବେ 6 କୋଟି ନକଲି ହିତାଧିକାରୀଙ୍କୁ ହଟେଇ ଦିଆଯିବା ପରେ ସରକାରୀ ଯୋଜନାର ଯଥାର୍ଥ ଲାଭ ଲୋକଙ୍କୁ ମିଳିପାରୁଛି ।
ଦେଶର ପ୍ରଗତିରେ ସଚ୍ଚୋଟ କରଦାତାଙ୍କର ଏକ ପ୍ରମୁଖ ଭୂମିକା ରହିଛି । ସେ ପୁନଶ୍ଚ କହିଥିଲେ ଯେ ସେମାନଙ୍କ ଯୋଗୁ ଅନେକ ଲୋକଙ୍କୁ ଖାଦ୍ୟ ମିଳୁଛି ଏବଂ ଗରିବ ବ୍ୟକ୍ତିଙ୍କ ଜୀବନ ରୂପାନ୍ତରିତ ହେଉଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁମାନେ ଦୁର୍ନୀତିଗ୍ରସ୍ତ ଏବଂ ଯେଉଁମାନଙ୍କର କଳାଧନ ରହିଛି ସେସମାନଙ୍କୁ କ୍ଷମା କରାଯାଇ ପାରିବ ନାହିଁ । ସେ କହିଲେ ଦିଲ୍ଲୀର ରାସ୍ତା ଏବେ କ୍ଷମତା ଦଲାଲଙ୍କଠାରୁ ମୁକ୍ତ ଏବଂ ଗରିବ ଲୋକର କଥାକୁ ମଧ୍ୟ ଶୁଣାଯାଉଛି ।
ପ୍ରଧାନମନ୍ତ୍ରୀ ଘୋଷଣା କଲେ ଯେ ଭାରତୀୟ ସେନାବାହିନୀର ସର୍ଟସର୍ଭିସ କମିଶନର ମହିଳା ପଦାଧିକାରୀମାନେ ଏକ ସ୍ୱଚ୍ଛ ଚୟନ ପ୍ରକ୍ରିୟା ମାଧ୍ୟମରେ ସ୍ଥାୟୀ କମିଶନ ପଦବୀ ପାଇଁ ଯୋଗ୍ୟ ବିବେଚିତ ହେବେ ।
ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଯେ ତିନ ତଲାକ୍ ଦ୍ୱାରା ମୁସଲିମ ମହିଳାମାନଙ୍କ ପ୍ରତି ବହୁ ମାତ୍ରାରେ ଅନ୍ୟାୟ ହୋଇଛି । ପ୍ରଧାନମନ୍ତ୍ରୀ ଦୃଢ଼ତା ପ୍ରକାଶ କରିଥିଲେ ଯେ ସେ ମହିଳାମାନଙ୍କୁ ନ୍ୟାୟ ପ୍ରଦାନ କରିବେ ।
ପ୍ରଧାନମନ୍ତ୍ରୀ ଦେଶରେ ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପ ହ୍ରାସ ପାଉଥିବା ସମ୍ବନ୍ଧରେ ଆଲୋଚନା କରିଥିଲେ । ସେ ଜାମ୍ମୁ-କାଶ୍ମୀର ରାଜ୍ୟକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦୁରଦୃଷ୍ଟି - ଇନସାନିୟତ, ଜମ୍ମୁରିୟତ, କାଶ୍ମୀରିୟତ ସମ୍ବନ୍ଧରେ ଦୋହରାଇଥିଲେ । ସମସ୍ତଙ୍କ ପାଇଁ ଘର, ସମସ୍ତଙ୍କ ପାଇଁ ଶକ୍ତି, ସମସ୍ତଙ୍କ ପାଇଁ ସ୍ୱଚ୍ଛ ଇନ୍ଧନ, ସମସ୍ତଙ୍କ ପାଇଁ ଜଳ, ସମସ୍ତଙ୍କ ପାଇଁ ଦକ୍ଷତା, ସମସ୍ତଙ୍କର ବୀମା ଏବଂ ସମସ୍ତଙ୍କ ଲାଗି ସଂଯୋଗୀକରଣ ଆଦି ବିଷୟ ଉପରେ ଗୁରୁତ୍ୱାରୋପ କରିଥିଲେ ।
ସେ କହିଥିଲେ ଯେ ଭାରତର ପ୍ରଗତି, ପୁଷ୍ଟିହୀନତା ଦୂରୀକରଣ ଏବଂ ଭାରତୀୟମାନଙ୍କୁ ଏକ ଗୁଣାତ୍ମକ ମାନର ଜୀବନ ଜିଇଁବା ସୁନିଶ୍ଚିତ କରିବା ଲାଗି ସେ ଅତ୍ୟନ୍ତ ବ୍ୟାକୁଳ ଏବଂ ଆଗ୍ରହୀ ।
**********